କାଗଜ ବନ୍ଦ କରିଥାନ୍ତେ ଗାନ୍ଧୀ!

News Story - Posted on 2016-10-02

ଜ୍ୟୋତି ପ୍ରକାଶ ମହାପାତ୍ର

 

ଗାନ୍ଧିଙ୍କ ତିରୋଧାନର କିଛି ଦିନ ପରେ ଏ କଥା ‘ଦି ଇଣ୍ଡିଆନ୍‌ ଲିସନର‌୍‍’ ନାମକ ପତ୍ରିକା ଲେଖିଥିଲା। ୧୯୪୮ ମସିହା ଫେବୃଆରୀ ୨୨ ତାରିଖର ସଂସ୍କରଣରେ।

୧୯୪୭ ମସିହା ଶେଷ ଆଡ଼କୁ ସମସ୍ତେ ଅନୁରୋଧ କଲେ ଗାନ୍ଧିଙ୍କୁ ରେଡ଼ିଓରେ କିଛି କହିବା ପାଇଁ। ଅନୁରୋଧ ଏଡ଼ାଇ ନ ପାରି ଗାନ୍ଧି ସେବର୍ଷ ଦିଆଲୀ (ନଭେମ୍ୱର ୧୨) ତାରିଖରେ ଦିଲ୍ଲୀର ବ୍ରଡ଼କାଷ୍ଟିଂ ହାଉସକୁ ଯାଇଥିଲେ। ଗାନ୍ଧିଙ୍କ ପାଇଁ ରେକର୍ଡ଼ିଂ ରୁମକୁ ଦିଆଯାଇଥିଲା ନୂଆରୂପ। ବିର୍ଲା ହାଉସ‌୍‍ର ପ୍ରାର୍ଥନା ସଭା ପରି ସୃଷ୍ଟି କରାଯାଇଥିଲା ସମସ୍ତ ପରିବେଶ। କିନ୍ତୁ ଗାନ୍ଧି ଟିକେ ଲାଜେଇଲେ। ଆଉ ଯେତେବେଳେ ପ୍ରଥମ ଶବ୍ଦ ତାଙ୍କ ମୁହଁରୁ ବାହାରିଲା, ତାହା ଥିଲାବେଶ ସ୍ପଷ୍ଟ। ତୋଫା। ୨୦ ମିନିଟର ସେଇ କାର୍ଯ୍ୟକ୍ରମରେ ଗାନ୍ଧିଙ୍କ ପ୍ରବାହ ଥିଲା ନିଆରା। କାର୍ଯ୍ୟକ୍ରମ ଶେଷରେ ପୂର୍ବରୁ ରେକର୍ଡ଼ିଂ ହୋଇଥିବା ‘ବନ୍ଦେ ମାତରମ‌୍‍’ ବାଜିଥିଲା। ଆଉ ଗାନ୍ଧି କହିଥିଲେ- ଏଇ ରେଡ଼ିଓ ଭିତରେ ମୁଁ ଅସରନ୍ତି ଶକ୍ତି ଦେଖୁଛି। ମୁଁ ଦେଖୁଛି ଶକ୍ତିର ଅନ୍ୟ ଏକ ଉଦାହରଣ।

 

ସାମ୍ୱାଦିକତାର ଆରମ୍ଭ

 

ଗାନ୍ଧିଙ୍କ ଆନ୍ଦୋଳନ ସମୟରେ ନା ଥିଲା ରେଡ଼ିଓ ନା ଆଜି ପରି ହଜାରେ ଟେଲିଭିଜନ୍‌ ଚାନେଲ‌୍‍ ନା ସୋସିଆଲ୍‌ ମିଡ଼ିଆ। କଳାଧଳା କାଳିରେ ଲେଖା ଖବରକାଗଜ ହିଁ ଥିଲା ବଂଚିଥିଲା ସେତିକିବେଳେ।

 

ଗାନ୍ଧିଙ୍କ ସାମ୍ୱାଦିକତା ଜୀବନର ମୂଳଦୁଆ ପଡ଼ିଥିଲା ଦକ୍ଷିଣ ଆଫ୍ରିକାରେ। ଜୀବିକା ସନ୍ଧାନରେ ହଜାର ହଜାର ମାଇଲ୍‌ ସମୁଦ୍ର ପାରି ହୋଇ ଦକ୍ଷିଣ ଆଫ୍ରିକା ଯାଇଥିବା ଗାନ୍ଧି ସେଠାରେ ଭାରତୀୟଙ୍କ ସମସ୍ୟା ଓ ନିର୍ଯାତନାର ପରିଧି ଭିତରେ ହଜି ଯାଇଥିଲେ। ରାସ୍ତା ଖୋଜିଥିଲେ ପରିଧି ହଟେଇବାକୁ। ସେଇଠୁ ଆରମ୍ଭ ହୋଇଥିଲା ଲଢେଇ।

 

ଲଢେଇର ରାସ୍ତାରେ ଗାନ୍ଧି ଜାଣିଥିଲେ ଜନଜୀବନକୁ ଓ ଲୋକମତକୁ ପ୍ରଭାବିତ କରିବା ପାଇଁ ଶ୍ରେଷ୍ଠ ଉପାୟ ହେଉଛି ଖବରକାଗଜ। ତେଣୁ ‘ସଂପାଦକଙ୍କୁ ପତ୍ର’, ‘ଖୋଲାଚିଠି’ ଆଦି ଲେଖିବା ଆରମ୍ଭ କରିଥିଲେ ଗାନ୍ଧି। କିନ୍ତୁ ଅନିୟମିତ ଲେଖା ଓ ସେଠାକାର ଖବରକାଗଜଗୁଡ଼ିକରେ ଆତିଥ୍ୟ ଲେଖା ଯେ, ଆନ୍ଦୋଳନ ପାଇଁ ଅପର୍ଯ୍ୟାପ୍ତ ତାହା ସେବୁଝିଥିଲେ। ସେଇଠୁ ଜନ୍ମ ନେଇଥିଲେ ସାମ୍ୱାଦିକ ଗାନ୍ଧି। ପ୍ରକାଶିତ ହୋଇଥିଲା ‘ଇଣ୍ଡିଆନ୍‌ ଓପିନିଅନ‌୍‍’, ଜୁନ୍‌ ୧୯୦୩ ମସିହାରେ। ୧୯୧୪ ପର୍ଯ୍ୟନ୍ତ ଏହି ପତ୍ରିକାର ପ୍ରତିଟି ସଂଖ୍ୟାରେ ଗାନ୍ଧି ଲେଖୁଥିଲେ। ବର୍ଣ୍ଣବୈଷମ୍ୟଠାରୁ ଆରମ୍ଭ କରି ପରିମଳ, ଆତ୍ମସଂଯମ ଆଦି ସମସ୍ତ ବିଷୟରେ ଗାନ୍ଧି ଲେଖିଥିଲେ। ଇଂରାଜୀ, ତାମିଲ୍‌ ଏବଂ ଗୁଜୁରାଟୀ ଭାଷାରେ ପ୍ରକାଶିତ ହେଉଥିଲା ‘ଇଣ୍ଡିଆନ୍‌ ଓପିନିଅନ‌୍‍’।

 

ଦେଶ ଏ ପାରିରେ ସାମ୍ୱାଦିକତା

 

ଭାରତ ଫେରିବା ପରେ ଖବରକାଗଜର ଅସରନ୍ତି ଶକ୍ତିକୁ ଠିକଣା ଭାବେ ଗାନ୍ଧି ବ୍ୟବହାର କରିଥିଲେ। ସ୍ୱାଧିନତା, ଛୁଆଁ ଅଛୁଆଁ, କୁସଂସ୍କାର ଆଦି ପ୍ରତିଟି ବିଷୟକୁ ଛୁଇଁଥିଲା ତାଙ୍କ ଲେଖା। ‘ୟଙ୍ଗ୍‌ ଇଣ୍ଡିଆ’ ଏବଂ ‘ହରିଜନ’ ଦୁଇଟି ପତ୍ରିକା ଗାନ୍ଧିଙ୍କର ପ୍ରତିଟି କଥାକୁ ଲୋକଙ୍କ ପାଖରେ ପହଂଚାଉ ଥିଲା। ଗାନ୍ଧି ନିଜେ ଏ ଦୁଇଟି ପତ୍ରିକାର ସଂପାଦକ ଥିଲେ। ପରେ ଦାୟିତ୍ୱ ନେଇଥିଲେ ‘ନବଜୀବନ’ର। ‘ହରିଜନ’ ପତ୍ରିକା ପରେ ଗୁଜୁରାଟୀ ଏବଂ ହିନ୍ଦୀରେ ‘ହରିଜନ ବନ୍ଧୁ’ ଏବଂ ‘ହରିଜନ ସେବକ’ ଭାବେ ପ୍ରକାଶିତ ହେଲା।

 

୧୯୨୫ ଜୁଲାଇ ୨ର ‘ହରିଜନ’ ସଂଖ୍ୟାରେ ଗାନ୍ଧି ଲେଖିଥିଲେ- ଅବସର ସମୟ କଟାଇବାକୁ କିମ୍ୱା ପେଟପାଟଣା ପୋଷିବାକୁ ମୁଁ ଖବରକାଗଜ ଆରମ୍ଭ କରିନି। ବରଂ ଜୀବନର ରାସ୍ତାରେ, ଯେଉଁଖିଅ ଧରି ମୁଁ ଆଗେଇଛି ତାକୁ ଆହୁରି ସ୍ପଷ୍ଟ, ଶାଣିତ କରିବାକୁ ଏଇ ଖବରକାଗଜଗୁଡ଼ିକର ଜନ୍ମ। ଖବରକାଗଜର ମୂଳ ଲକ୍ଷ୍ୟ ଲୋକଙ୍କ ଛାତି ଭିତରକୁ ପଢିବା ଏବଂ ପ୍ରତିଟି ବେଦନା ଓ ଯନ୍ତ୍ରଣାକୁ ସାମ୍ନାକୁ ଆଣିବା।

 

ନିଜ ଆତ୍ମଜୀବନୀ ‘ମାଇଁ ଏକ୍ସପେରିମେଂଟ‌୍‍ ଉଇଥ‌୍‍ ଟ୍ରୁଥ‌୍‍’ରେ ଗାନ୍ଧିଜୀ ସାମ୍ୱାଦିକତା ସଂପର୍କରେ ଖୁବ ସରଳ ଭାଷାରେ ଅନେକ ବିଷୟ କହିଛନ୍ତି। ଗାନ୍ଧି ଲେଖିଛନ୍ତି- ଖବରକାଗଜ ଏକ ବିରାଟ ଶକ୍ତି। କିନ୍ତୁ ସେଥିରେ ଲେଖିବାବେଳେ ଆତ୍ମସଂଯମ ନିହାତି ଜରୁରୀ। ନ ହେଲେ ଯେମିତି ଅନିୟନ୍ତ୍ରିତ ପାଣି ମାଡ଼ି ଯାଇ ବନ୍ୟାର ବିଭୀଷିକା ସୃଷ୍ଟିକରେ, ସେମିତି ଅମାନିଆ କଲମ ସମାଜରେ ଅଶେଷ କ୍ଷତି ସାଧନ କରେ।

 

ଶବ୍ଦର ଯାଦୁକର

 

ଗାନ୍ଧି ନିଜର ପ୍ରତିଟି ଶବ୍ଦ ଉପରେ ଗୁରୁତ୍ୱ ଦେଇ ଆସିଥିଲେ। ସେ ମଣିଷର ନାଡ଼ିକୁ ଚିହ୍ନି ଥିଲେ। ଜାଣିଥିଲେ- ଶବ୍ଦ ଯଦି ମଣିଷର ମସ୍ତିସ୍କ ବାହାର ଦେଇ ବୋହିଯାଏ, ତେବେ ସେମିତି ଶବ୍ଦ ଲେଖି, କହି କିଛି ବି ଲାଭ ନାଇଁ। ଯାହା ମଣିଷ ଛାତି ଭିତର ଦେଇ ଦପ‌୍‍ କରି ଭିତରକୁ ପଶିଯାଏ, ସେଇମିତି ଶବ୍ଦ ଗାନ୍ଧି ବ୍ୟବହାର କରୁଥିଲେ। ତେଣୁ ଯେଉଁ ଛୁଆଟି ସ୍କୁଲବେଳରେ ପାଟି ଖୋଲିବାକୁ ବି ଲାଜ କରୁଥିଲା, ସେଇ ମଣିଷଟି ପରବର୍ତ୍ତୀ ପର୍ଯ୍ୟାୟରେ ଯାହା କହିଲା, ଯାହା ଲେଖିଲା- ତାହା ସମୁଦାୟ ପୃଥିବୀକୁ ଦୋହଲାଇ ଦେଲା।

 

୧୯୪୨ ମସିହାରେ ଗାନ୍ଧି ଆରମ୍ଭ କରିଥିଲେ ଭାରତଛାଡ଼ ଆନ୍ଦୋଳନ। ଇଂରାଜୀରେ କହିଲେ- କୁଇଟ୍‌ ଇଣ୍ଡିଆ ମୁଭ‌୍‍ମେଂଣ୍ଟ। ଏଇଠି ଶବ୍ଦର ବ୍ୟବହାର ଲକ୍ଷ୍ୟ କରିବାର କଥା। ଗାନ୍ଧି ଏ ଆନ୍ଦୋଳନର ନାଁ ଦେଲେ କୁଇଟ୍‌ ଇଣ୍ଡିଆ। ଅର୍ଥାତ ଇଂରେଜମାନେ ଭାରତ ଛାଡ଼। ଅର୍ଥାତ ଏ ଦେଶ ଆମର। ଆମେ ଏଠିକାର ସବୁକିଛି। ତମେ ଇଂରେଜ ଏଇଠୁ ବାହାରି ଯାଅ। କୁଇଟ‌୍‍। ଯାହା ଭାରତୀୟଙ୍କ ଭିତରେ ଆତ୍ମପ୍ରତ୍ୟୟକୁ ବହୁଗୁଣିତ କରିଥିଲା। ଏକା ଅର୍ଥରେ ଗାନ୍ଧି କହି ପାରି ଥାଆନ୍ତେ- ଲିଭ୍‌ ଇଣ୍ଡିଆ। ଯାହାର ଅର୍ଥ ବି ସମାନ। କିନ୍ତୁ କୁଇଟ୍‌ ଇଣ୍ଡିଆ ଶବ୍ଦରେ ଏକ ଆଦେଶ ରହୁଛି, ଏକ ଆତ୍ମବିଶ୍ୱାସ ରହୁଛି, ଯାହା ଲିଭ୍‌ ଇଣ୍ଡିଆରେ ରହୁନାହିଁ।

 

ସେମିତି ଗାନ୍ଧି କହିଥିଲେ- ଡୁ ଅର୍‌ ଡାଇ (କର ବା ମର)। ଏକଥାକୁ ଇଂରାଜୀରେ ‘ପର୍ଫମ‌୍‍ ଅର୍‌ ପେରିଶ‌୍‍’ କହିଥିଲେ ବି ଚଳି ଥାଆନ୍ତା। ମୋଟାମୋଟି ଏକା ଅର୍ଥ। ହେଲେ ‘ଡୁ ଅର୍‌ ଡାଇ’ ଯେମିତି ଶେଷ ଲଢେଇ ପାଇଁ ପ୍ରେରଣା ଯୋଗାଏ, ସେଇ ଧରଣର ପ୍ରେରଣା ‘ପର୍ଫମ‌୍‍ ଅର୍‌ ପେରିଶ‌୍‍’ କହି ପାରି ନଥାଆନ୍ତା। ଶବ୍ଦକୁ, ତା’ର ବ୍ୟବହାର ଓ ମଣିଷ ଉପରେ ପ୍ରଭାବକୁ ନେଇ ହିଁ ଗାନ୍ଧିଙ୍କ ସାମ୍ୱାଦିକତା ସବୁଦିନେ ଆଗୁଆ।

 

ଶେଷ କେଇ ଧାଡ଼ି

 

ପ୍ରାର୍ଥନା ସଭା। ୧୯୪୬ ଜୁନ‌୍‍ ୧୯ ତାରିଖ। ଦେଶ ସ୍ୱାଧୀନ ହେବାକୁ ଆଉ ଅଳ୍ପ କେଇ ମାସ ବାକି ଥାଏ। ଗାନ୍ଧି ସେ ଦିନ କହିଥିଲେ - ମତେ ଯଦି କିଏ ଦିନକ ପାଇଁ ଅଧୀଶ୍ୱର କରି ଦିଅନ୍ତି. ମୁଁ ହୁଏତ ଏଠାକାର ସବୁ ଖବରକାଗଜକୁ ବନ୍ଦ କରି ପକାନ୍ତି। ପରେ ମୁହୂର୍ତେ ବିଶ୍ରାମ ନେଇ ଗାନ୍ଧି ଯୋଡ଼ିଥିଲେ- କେବଳ ହରିଜନ ପତ୍ରିକାକୁ ବାଦ‌୍‍ ଦେଇ ହୁଏତ। କାରଣ- ବିଜ୍ଞାପନ, ଆଡ‌୍‍ଭୋଟୋରିଆଲ‌୍‍ (ବିଜ୍ଞାପନ ସଂପର୍କିତ ସଂପାଦକୀୟ), ରେସପନ‌୍‍ସ ଫିଚର‌୍‍ (ବିଜ୍ଞାପନ ଉପରେ ଆଧାରିତ ନିବନ୍ଧ) ଭିତରେ ସାମ୍ୱାଦିକତା ହୁଏତ ହଜିସାରିଛି।

 

ସାମ୍ୱାଦିକତା ବିଭାଗ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ୱଲପୁର

ମୋ- ୯୪୩୭୦୮୦୦୪୮


ପ୍ରତିକ୍ରିୟା

Manoj Kumar Lenka - Email: mklenka101@gmail.com - Posted on 2016-10-02 17:50:26

Nice atricle and relevant in present context

Sanjay Kumar Sethi - Email: sanjayks86@gmail.com - Posted on 2016-10-03 12:06:28

Sir, Your paper advertising is very good. Thank You

ସତ୍ୟଜିତ ମହତାବ - Email: satyajitmahatabfmu@gmail.com - Posted on 2016-10-03 12:38:59

ସାର, ଆପଣଙ୍କ ଲେଖା ଏବଂ ପତିକ୍ରିୟା ବହୁତ ହୁର୍ଦୟ ସ୍ପର୍ଶୀ। ଜାତିର ପତା ମହାତ୍ତ୍ମା ଗାନ୍ଧୀଙ୍କ ସମ୍ବାଦିକତା ପୂର୍ଣ ଜୀବନ ଅତ୍ୟନ୍ତ ରୋମାଞ୍ଚ ପୂର୍ଣ ଓ ଶିକ୍ଷଣୀୟ। ସବୁଠାରୁ ମହାତତ୍ମା ଗାନ୍ଧୀ ଙ୍କ ପେନ୍ସିଲ ଦୁଆରା ଅଙ୍କିତ ଫଟୋଚିତ୍ର ବହୁତ ସୁନ୍ଦର ହୋଇଅଛି .......... ଗାନ୍ଧୀ ଜୟନ୍ତୀ ର ବହୁତ ବହୁତ ଶୁଭକାମନା ଆପଣଙ୍କୁ ସାର।

Sangram kesar patnaik - Email: sangram.rgda@gmail.com - Posted on 2016-10-04 09:37:04

Really heart touching artical

prasanjit sahoo - Email: prasanjitsahoo2016@gmail.com - Posted on 2016-10-07 14:34:56

nice artice sir

DHANASHREE MISHRA - Email: dhanashree.press@gmail.com - Posted on 2016-11-22 20:06:47

Nice Information.

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top